Unknown

 

 

 

 

 

 

 

 

 

 

 

ଓଡ଼ିଶାର କୁଟୀର ଶିଳ୍ପ

ବ୍ରଜେନ୍ଦ୍ରନାଥ ଗିରି

 

ସୂଚୀପତ୍ର

 

୧.

ଓଡ଼ିଶାର ମାନଚିତ୍ର

୨.

କଂସା ବାସନ

୩.

ପଥର ବାସନ

୪.

ତନ୍ତବୁଣା ଲୁଗା

୫.

ଚାନ୍ଦୁଆ

୬.

ତାରକସି କାମ

୭.

ଶିଙ୍ଗ କାମ

୮.

ପଥର ମୂର୍ତ୍ତି

୯.

ପଟ୍ଟ ଚିତ୍ର

୧୦.

ସପ ମସିଣା

୧୧.

ବେତ ଓ ବାଉଁଶ କାମ

୧୨.

ପୋଡ଼ା ମାଟିର କାମ

୧୩.

କାଠ କାମ

୧୪.

ହାତୀ ଦାନ୍ତ କାମ

୧୫.

ଖଲିପତ୍ର ଓ ଦୋନା

୧୬.

ଫଳ ରସରୁ ଖାଦ୍ୟ

Image

 

ମୁଖବନ୍ଧ

 

ଆମ ଓଡ଼ିଶାର ନାଁ ଆଗରୁ ଥିଲା ଉତ୍କଳ । ବହୁ ଆଗରୁ ଏହାକୁ ‘କଳିଙ୍ଗ’ ମଧ୍ୟ କୁହାଯାଉଥିଲା । ଅତି ପ୍ରାଚୀନ କାଳରୁ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଶିକ୍ଷା, ସଂସ୍କୃତି, କଳା ଓ ସ୍ଥାପତ୍ୟରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ । ତେଣୁ ସେମାନେ ସେମାନଙ୍କର ଜ୍ଞାନ ଓ ବୁଦ୍ଧି ଖଟାଇ ନାନା ରକମର ଜିନିଷମାନ ନିଜ ଘରେ ବସି ତିଆରି କରି ପେଟ ପୋଷୁଥିଲେ ।

 

କାଳକ୍ରମେ ସେହି ସବୁ ଜିନିଷ ଦେଶ ବିଦେଶରେ ବିକ୍ରୟ ହୋଇ ଓଡ଼ିଶାର ସୁନାମ ବଢ଼େଇ ଥିଲା । ମାତ୍ର ଦୀର୍ଘଦିନର ପରାଧୀନତା ଯୋଗୁଁ ଏହାର ବହୁକ୍ଷତି ଘଟିଲା ।

 

ଏବେ କିନ୍ତୁ ସେଇ ସବୁ କୁଟୀର ଶିଳ୍ପର ବିକାଶ କରାଯାଇ ଓଡ଼ିଶାର ପ୍ରଗତି ପାଇଁ ଓଡ଼ିଶାବାସୀ ଚେଷ୍ଟିତ । ଏପରିକି ପାରମ୍ପରିକ ଶୈଳୀରେ ବହୁ ନୂଆ ଚିନ୍ତା ପ୍ରୟୋଗ କରାଯାଇ ଉନ୍ନତ ମାନର ଜିନିଷମାନ ପ୍ରସ୍ତୁତ ହେଲାଣି । ପୁଣି ଏହିସବୁ କୁଟୀର ଶିଳ୍ପ ବଂଶାନୁକ୍ରମିକ ଭାବେ ନହୋଇ ବିଭିନ୍ନ ଶ୍ରେଣୀର ଲୋକଙ୍କଦ୍ୱାରା ମଧ୍ୟ ତିଆରି ହେଲାଣି ।

 

ଓଡ଼ିଶାର କୁଟୀର ଶିଳ୍ପ ବିଷୟରେ ଆମର ଗୋଟିଏ ମୋଟାମୋଟି ଧାରଣା ସୃଷ୍ଟିପାଇଁ ଏଥିରେ ଚେଷ୍ଟା କରାଯାଇଛି । ଶ୍ରମ ସାର୍ଥକ ହେଲେ ଧନ୍ୟ ହେବି ।

 

ବ୍ରଜେନ୍ଦ୍ରନାଥ ଗିରି

 

ଓଡ଼ିଶାର ମାନଚିତ୍ର

 

ଆମ ରାଜ୍ୟର ନାମ ଓଡ଼ିଶା । ପୁରାଣ, ଇତିହାସରେ ଏହି ଅଞ୍ଚଳକୁ ‘କଳିଙ୍ଗ’ କୁହାଯାଇଛି । ଆଜିର ଓଡ଼ିଶାଠାରୁ କଳିଙ୍ଗର ସୀମା ବହୁତ ବଡ଼ ଥିଲା । ସେତେବେଳେ କଳିଙ୍ଗ ଉତ୍ତର ଦିଗରେ ଗଙ୍ଗା ନଦୀଠାରୁ ଦକ୍ଷିଣ ଦିଗରେ ଗୋଦାବରୀ ନଦୀଯାଏ ଥିଲା । ପୂର୍ବରେ ସମୁଦ୍ର ଓ ପଶ୍ଚିମରେ ଦାକ୍ଷିଣାତ୍ୟ ମାଳଭୂମି ଥିଲା ।

 

ସମୁଦ୍ର କୂଳେ କୂଳେ ଏହି ରାଜ୍ୟର ବେଶୀଭାଗ ଥିବାରୁ ଯାତାୟାତ ପାଇଁ ସମୁଦ୍ର ଓ ନଦୀପଥ ବ୍ୟବହୃତ ହେଉଥିଲା । ଏହି ରାଜ୍ୟରେ ସେତେବେଳେ ରାଜାମାନେ ଶାସନ କରୁଥିଲେ । ସେମାନେ ଏଇ ରାଜ୍ୟର ସୀମା ବଢ଼ାଇବା ସଙ୍ଗେ ସଙ୍ଗେ ପ୍ରଜାମାନଙ୍କୁ ସୁଶାସନ ଦେଇ ପାରିଥିଲେ-। ଫଳରେ କୃଷି, ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ ଓ ସଙ୍ଗୀତର ବିକାଶ ଘଟିଥିଲା ।

 

ଦରିଆ ପାରି ଦେଶମାନଙ୍କୁ ଯାଇ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ କରି ଓଡ଼ିଶାକୁ ଧନରତ୍ନ ବୋହି ଆଣୁଥିଲେ । ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ବାଲି, ସିଂହଳ ପ୍ରଭୃତି ଦ୍ଵୀପକୁ ଜଳପଥରେ ସେମାନେ ଯାଇ ବାଣିଜ୍ୟ କାରବାର କରୁଥିଲେ । ସେହିପରି ସ୍ଥଳପଥରେ ଚୀନ, ତିବ୍‍ବତ, ଜାପାନ, ଶ୍ୟାମଦେଶ, ବ୍ରହ୍ମଦେଶ, ନେପାଳ ପ୍ରଭୃତି ଦେଶ ସହିତ ବାଣିଜ୍ୟ କରୁଥିଲେ ।

 

ଓଡ଼ିଶାର ଶିଳ୍ପୀମାନେ ବିରାଟ ଓ ସୁନ୍ଦର ମନ୍ଦିର ମାନ ପଥର ଯୋଡ଼ି ତିଆରି କରୁଥିଲେ ଓ ସେଥିରେ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ଗଢ଼ି ପାରୁଥିଲେ । ଓଡ଼ିଶାର ଘରେ ଘରେ ମଧ୍ୟ ନାନା କିସମର କୁଟୀର ଶିଳ୍ପ ସବୁ ତିଆରି ହୋଇ ପାରୁଥିଲା । ଅତୀତ ଓଡ଼ିଶାର ବିଖ୍ୟାତ କବି ଓ ସଂଗୀତଜ୍ଞମାନେ ଜନ୍ମଲାଭ କରିଥିଲେ । ରାଜାମାନଙ୍କର ସାହାଯ୍ୟ ସହାନୁଭୂତି ପାଇ ସେତେବେଳର କବି ଓ ସଙ୍ଗୀତକାରମାନେ ଦେଶ ବିଦେଶରେ ଖୁବ୍ ନାମ କରିଥିଲେ । ସେଇମାନଙ୍କ ମଧ୍ୟରୁ କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ ଅନ୍ୟତମ ।

 

ଆଜି ମଧ୍ୟ ଘରେ ଘରେ ଆଦରରେ ପଢ଼ାଯାଏ । ଏଇସବୁ କଳା, ସ୍ଥାପତ୍ୟ ଓ ସଂସ୍କୃତିର ବିକାଶ ହେତୁ ଦିନେ ଓଡ଼ିଶାକୁ ‘ଉତ୍କଳ’ ବୋଲି କୁହାଯାଉଥିଲା । ପୁରୀ, ଭୁବନେଶ୍ୱର, କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଆଜି ମଧ୍ୟ ଦେଖିଲେ ବିସ୍ମୟ ସୃଷ୍ଟି ହୁଏ । “ଧନ୍ୟ ଓଡ଼ିଆ ପୁଅ–ଧନ୍ୟ ତୁମର କାରିଗରୀ” ବୋଲି ଆପେ ଆପେ ପାଟିରୁ ବାହାରି ପଡ଼େ ।

 

ପଥର ଯୋଡ଼ି ଦେଉଳ ତୋଳିବା, ନିହାଣ ମୁନରେ ଠାକୁର ଗଢ଼ି ତା’ ଭିତରେ ବସେଇବା, ଠାକୁରଙ୍କ ପାଇଁ ହୀରା, ଲୀଳା, ମୋତି, ମାଣିକ୍ୟ, ସୁନା, ରୂପାର ଅଳଙ୍କାର ଖଞ୍ଜିଦେବା, ମଠା, ଟସର, କେରଙ୍ଗ, ସୂତା, ପାଟ ଇତ୍ୟାଦିର ସୂକ୍ଷ୍ମ ଓ ଝୀନ ବସନ ତିଆରି କରି ଠାକୁରଙ୍କୁ ପିନ୍ଧେଇବା, ଠାକୁରଙ୍କ ମନ୍ଦିରକୁ ନାନାଦି ରଙ୍ଗରେ ଚିତ୍ରିତ କରିବା, ଠାକୁରଙ୍କ ଭୋଗରାଗ ପାଇଁ ମାଟିପାତ୍ର, ତାଳପତ୍ରର ଟୋକେଇ, କଂସା ପିତ୍ତଳ ଓ ପଥର ବାସନକୁସନ ନିର୍ମାଣ କରି ଲଗେଇବାପାଇଁ ସେତେବେଳର ଧନୀ, ମାନୀ ଓ ସମ୍ଭ୍ରାନ୍ତ ଲୋକଙ୍କର ସଉକ ଥିଲା । ଫଳରେ କୁଟୀର ଶିଳ୍ପର ବିକାଶ ପାଇଁ ଉତ୍ସାହ ମିଳୁଥିଲା ।

 

ସୁଖ ଓ ସ୍ଵାଚ୍ଛନ୍ଦ୍ୟରେ ଜୀବନ ବିତାଇଲେ ଲୋକମାନେ ଅଳସୁଆ ହୋଇଯାଆନ୍ତି । ନିଶା ଓ ପଶାରେ ସମୟ କଟେ । ଈର୍ଷା ଓ ପରଶ୍ରୀକାତରତା ସେମାନଙ୍କୁ ଭଲ ଲାଗେ । ଏଇ ସୁଯୋଗ ନେଇ ବାହାର ଲୋକେ ଅତି ସହଜରେ ପଶିଆସନ୍ତି ।

 

ଏହାହିଁ ଘଟିଥିଲା ଓଡ଼ିଶା ଭାଗ୍ୟରେ । ଏଇ ଶକ୍ତିଶାଳୀ ରାଜ୍ୟକୁ ମୋଗଲ, ପଠାଣ, ମରହଟ୍ଟାମାନେ ବାରମ୍ବାର ଆକ୍ରମଣ କଲେ ଓ ଏହାର ବଡ଼ପଣିଆକୁ ନଷ୍ଟଭ୍ରଷ୍ଟ କରିଦେଲେ । ତା’ପରେ ଇଉରୋପୀୟମାନେ ଭାରତର ଅଞ୍ଚଳ ଦଖଲ କରିବା ସହିତ ଓଡ଼ିଶାକୁ ମଧ୍ୟ ଦଖଲ କରିଦେଲେ ।

 

ଜଳପଥରେ ଡଚ, ଫରାସୀ, ଓଲନ୍ଦାଜ, ପର୍ତ୍ତୃଗୀଜ ଜଳଦସ୍ୟୁମାନେ ଆସି ଓଡ଼ିଶାର ସାଧବ ପୁଅମାନଙ୍କର ସାତଦରିଆ ତେରନଈ ଯାତ୍ରାକୁ ବନ୍ଦ କରିଦେଲେ । ସ୍ଥଳପଥରେ ମଧ୍ୟ ବାଣିଜ୍ୟ କାରବାର ରାହାଜାନି ହୋଇ ବନ୍ଦ ହୋଇଗଲା । ଏପରିକି ଇଂରେଜମାନେ ସମଗ୍ର ଭାରତ ଅଧିକାର କରିନେଲେ । କେବଳ ଓଡ଼ିଶାର ନୁହେଁ ଭାରତର ଶିଳ୍ପ, ସ୍ଥାପତ୍ୟର ଜ୍ଞାନକୌଶଳକୁ ଆଇନ କରି ବନ୍ଦ କରିଦେଲେ । ସମୁଦ୍ର ଜଳରୁ ଲୁଣ ମାରିବାକୁ ଦେଲେ ନାହିଁ କି ତନ୍ତୀକୁ ଲୁଗା ବୁଣିବାକୁ ଦେଲେ ନାହିଁ । ଲୁଣ ମାରିଲେ ଜେଲ ଜୋରିମାନା ତ ଲୁଗା ବୁଣିଲେ ହାତର ଆଙ୍ଗୁଳି କଟା ହେଲା । ଏଇଭଳି ସବୁ କୁଟୀର ଶିଳ୍ପର ଦଶା ହେଲା । ଇଂରେଜମାନେ ତାଙ୍କ ଦେଶ ତିଆରି ଜିନିଷମାନ ଚଢ଼ା ଦରରେ ବିକ୍ରି ଲାଭବାନ୍ ହେଲେ ।

 

୧୯୪୭ ଅଗଷ୍ଟ ପନ୍ଦର ତାରିଖଠାରୁ ଭାରତ ସ୍ଵାଧୀନ ହେଲା । ଭାଷା ସୂତ୍ରରେ ଗୋଟିଏ ଗୋଟିଏ ଅଞ୍ଚଳ ଗୋଟିଏ ଗୋଟିଏ ରାଜ୍ୟ ଭାବେ ଗଣା ହେଲେ । ଯଦିଓ କିଛି କିଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରରେ ମିଶିକରି ଅଛି, ତଥାପି ଏକ ବିରାଟ ଅଞ୍ଚଳକୁ ନେଇ ଆମ ଓଡ଼ିଶା ରାଇଜ ଗଠିତ ।

 

ସ୍ଵାଧୀନତା ପରେ ମୋଟ ୧୩ଟି ଜିଲ୍ଲାକୁ ନେଇ ଓଡ଼ିଶା ଗଠିତ ହୋଇଥିଲା । ଏବେ କେତେକ ବଡ଼ ବଡ଼ ଜିଲ୍ଲାକୁ ନେଇ ପ୍ରଶାସନର ସୁବିଧା ପାଇଁ ଭାଗ କରି ମୋଟ ୩୦ଟି ଜିଲ୍ଲା ଗଢ଼ାହୋଇଛି । ତାହାହିଁ ବର୍ତ୍ତମାନର ଓଡ଼ିଶା ।

 

ସ୍ଵାଧୀନତା ଲାଭ ପରେ ବହୁ କୁଟୀର ଶିଳ୍ପ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ପ୍ରଧାନ ବେଉସା ହୋଇଉଠିଛି । ସେଥିପାଇଁ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଅଛନ୍ତି ।

 

ଓଡ଼ିଶାର କୁଟୀର ଶିଳ୍ପ ମଧ୍ୟରେ ବିଭିନ୍ନ ପ୍ରକାରର ତନ୍ତ ବୁଣା ଲୁଗା, କଂସାବାସନ, ପଥର ବାସନ, ସପ-ମସିଣା, ପଥର ମୂର୍ତ୍ତି, ଚାନ୍ଦୁଆ, ଶିଙ୍ଗ କାମ, ରୂପା ଓ ସୁନାର ତାରକସି କାମ, ବେତ ଓ ବାଉଁଶ କାମ, ପଟ୍ଟଚିତ୍ର ପୋଡ଼ା ମାଟିର କାମ, କାଠ କାମ, ଖଲିପତ୍ର ଓ ଦୋନା, ନାନାଦି ଫଳରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଭୃତି ପ୍ରସିଦ୍ଧି ଲାଭ କରିଛି ।

Image

 

କଂସା ବାସନ

 

Image

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଂସା, ପିତ୍ତଳ, ବ୍ରୋଞ୍ଜ ଓ ଆଲୁମିନିୟମ୍‍ ରେ ଅତି ସୁନ୍ଦର ସୁନ୍ଦର ଜିନିଷମାନ ପ୍ରସ୍ତୁତ ହୋଇଥାଏ । ବାଲେଶ୍ଵର ଜିଲ୍ଲାର ରେମୁଣା, ଢେଙ୍କାନାଳ ଜିଲ୍ଲାର ଭୁବନ, କଟକ ଜିଲ୍ଲାର ଭଟ୍ଟିମୁଣ୍ଡା, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ସୋନପୁର ଜିଲ୍ଲାର ବିନିକା, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଓ କବିସୂର୍ଯ୍ୟ ନଗର ଏବଂ ଯାଜପୁରଠାରେ କଂସାବାସନ ତିଆରି ହୋଇଥାଏ । ଥାଳି, ବାଟି, ଲୋଟା, ପାଣିପାତ୍ର ତେଲରଖା ପାତ୍ର, ପଳା, ପାନବଟା ରେକାବି, ପଲିସଜ, ଡିବିରି, ଚଟୁ, ଖଡ଼ିକା, ଦୀପ, ବେଲା, ଅଧବେଲି, ଠାକୁରବାସନ, ଧୂପଦାନୀ, ଆରତି ପାତ୍ର, ପିକଦାନୀ, ପାନବଟୁଆ, ଗରା କଂସାରେ ତିଆରି ଅଳଙ୍କାର, ଘୁଙ୍ଗୁର, ଘଣ୍ଟି, ଘଣ୍ଟା, ଝାଲି, କରେଇ, ଗୃହ ଉପକରଣ ଆଦି କଂସା ଓ ପିତ୍ତଳରୁ ତିଆରି ହୋଇଥାଏ ।

 

ବାହାଘର ଓ ବ୍ରତଘର ଆଦିରେ କଂସାବାସନର ବ୍ୟବହାର ଆମ ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା । ଢେଙ୍କାନାଳଠାରେ ଆଲୁମିନିୟମ୍‍ରୁ ବଡ଼ ବଡ଼ ହଣ୍ଡା, କରେଇ, ଚଟୁ, ଡାବର ପ୍ରଭୃତି ତିଆରି କରାଯାଇଥାଏ । ଓଡ଼ିଶାରେ କଂସାବାସନର ନିର୍ମାଣ ଶୈଳୀ ଭାରତର ଅନ୍ୟାନ୍ୟ ଅଞ୍ଚଳଠାରୁ ସ୍ଵତନ୍ତ୍ର । ବାସନରେ ବିଭିନ୍ନ ଚିତ୍ର ଖୋଦିତ ହୋଇ ଏହିସବୁ ଉପକରଣଗୁଡ଼ିକୁ ବେଶ୍ ଆକର୍ଷଣୀୟ କରିଥାଏ । ବେଲଗୁଣ୍ଠାରେ ତିଆରି ପିତ୍ତଳ ମାଛ ଭାରତ ପ୍ରସିଦ୍ଧ ।

Image

 

ପଥର ବାସନ

 

ଆଗକାଳରେ ପଥର ବାସନରେ ଖାଇବାକୁ ଅତି ପବିତ୍ର ମନେ କରାଯାଉଥିଲା । ଦେବାଦେବୀଙ୍କ ପୂଜାର୍ଚ୍ଚନା ସମୟରେ ପଥର ବାସନର ବ୍ୟବହାର ଅତି ଶୁଦ୍ଧ ବୋଲି ଗ୍ରହଣ କରାଯାଏ । ଏବେ ମଧ୍ୟ ପୁରପଲ୍ଲୀରେ ସାଧୁ ସନ୍ନ୍ୟାସୀ କାହା ଘରେ ଅତିଥି ହେଲେ ଗୃହସ୍ଥ ତାଙ୍କୁ ପଥର ବାସନରେ ଖାଇବାକୁ ଦେବାର ଦେଖାଯାଏ । ପଥର ବାସନ କାରବାରରେ ଅଧିକ ସାବଧାନତା ଦରକାର ଓ ଏହା ସ୍ଵଭାବିକ୍ ଓଜନିଆ । ତେଣୁ ଆମ ସମାଜରେ ଏହାର ବ୍ୟବହାର କ୍ରମଶଃ କମି କମି ଯାଉଛି । ତଥାପି, ବାଲେଶ୍ଵର ଜିଲ୍ଲାର ନୀଳଗିରି, ମୟୂରଭଞ୍ଜ ଜିଲ୍ଲାର ଖିଚିଂ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ପଥର ଖୋଦେଇ ବାସନ ତିଆରି ହୁଏ । ନୀଳଗିରି ଓ ଖିଚିଂର ପଥର ବାସନ ଖୁବ୍ ପ୍ରସିଦ୍ଧି ଲାଭ କରିଛି ।

Image

 

ତନ୍ତବୁଣା ଲୁଗା

 

Image

ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତନ୍ତବୁଣା ଲୁଗା ତିଆରି ହୋଇଥାଏ । ଏହା ଓଡ଼ିଶାର ଏକ ପ୍ରଧାନ କୁଟୀର ଶିଳ୍ପ । ଏକଦା ସୌଖୀନ ଓ ମୁଲାୟମ ତନ୍ତବସ୍ତ୍ର ନିର୍ମାଣରେ ଓଡ଼ିଶାର ସୁଖ୍ୟାତି ସୁଦୂର ପ୍ରସାରି ଥିଲା । କଥିତ ଅଛି, ବୌଦ୍ଧ ଧର୍ମର ପ୍ରସାର ସମୟରେ କଳିଙ୍ଗ ସହିତ ଚୀନର ଘନିଷ୍ଠ ସଂପର୍କ ଥିଲା । ସେତେବେଳେ କଳିଙ୍ଗରେ ଏପରି ଚୀନବସନ ନିର୍ମିତ ହେଉଥିଲା ଯେ କଳିଙ୍ଗର ରାଜା ଚୀନ ସମ୍ରାଟଙ୍କ ପାଖକୁ ପଠାଇଥିବା ଏକ ମୁଦି ମଧ୍ୟରେ ଖଣ୍ଡିଏ ବସ୍ତ୍ର ଉପହାର ସ୍ଵରୂପ ପଠାଇଥିଲେ । ଚୀନ ସମ୍ରାଟ ତାହା ପାଇ ଅତ୍ୟନ୍ତ ବିସ୍ମୟ ପ୍ରକାଶ କରିଥିଲେ । କିନ୍ତୁ ଏହି ଉନ୍ନତମାନର ତନ୍ତ ବସ୍ତ୍ର ଉତ୍ପାଦନ ଇଂରେଜ ଅମଳରେ ବାଧାପ୍ରାପ୍ତ ହେଲା । ଇଂରେଜମାନେ ତାଙ୍କ ଦେଶ ମାଞ୍ଚେଷ୍ଟରଠାରେ ତିଆରି କଳଲୁଗା ଭାରତକୁ ବିକ୍ରୟ ପାଇଁ ଆଣିଲେ-। ଭାରତରେ ଉତ୍ପାଦିତ କପା ସେମାନେ ତାଙ୍କ ଦେଶକୁ ନେଇଗଲେ । ତନ୍ତୀମାନେ ଲୁଗା ବୁଣିଲେ ସେମାନଙ୍କ ହାତର ବୁଢ଼ା ଆଙ୍ଗୁଳି କାଟି ଦିଆଗଲା । ତେଣୁ ଡରରେ ସେମାନେ ଲୁଗା ବୁଣିବା ଛାଡ଼ିଦେଲେ । ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ତନ୍ତ ସବୁ ବ୍ୟବହାର କରୁଥିଲେ, ତାହା କ୍ରମଶଃ ନଷ୍ଟ ହୋଇଗଲା । ଯେଉଁ ଉନ୍ନତ ଜ୍ଞାନକୌଶଳ ସେମାନଙ୍କୁ ଜଣାଥିଲା, ତାହା ସେମାନଙ୍କ ଅନ୍ତେ ଅନ୍ୟମାନେ ଜାଣିବାର ସୁଯୋଗ ହରାଇଲେ ।

 

ମାତ୍ର ଏବେ ସରକାରୀ ସାହଯ୍ୟ ସହଯୋଗ ପାଇ ଏହି କୁଟୀର ଶିଳ୍ପର ଯଥେଷ୍ଟ ପ୍ରଗତି ହୋଇଛି, ସ୍ଥାନେ ସ୍ଥାନେ ତନ୍ତୁବାୟ ସଂଘମାନ ଗଢ଼ାଯାଇଛି । ଉନ୍ନତମାନର ତନ୍ତଲୁଗା ବୟନ ସମ୍ଭବ ହୋଇପାରିଛି । ତନ୍ତ ଲୁଗାର ବିକ୍ରୟ ପାଇଁ ମଧ୍ୟ ସମିତିମାନ କାର୍ଯ୍ୟ କରୁଛି । ଏହା ଫଳରେ ସେମାନଙ୍କ ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିଛି ।

 

ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ସୂତାରେ ତିଆରି ମୂଲ୍ୟବାନ “ସମ୍ବଲପୁରୀ ଶାଢ଼ି, ଧୋତି, ଗାମୁଛା, ବ୍ୟାଗ୍, ଦୁଆର ଦରଦା, ଝରକା ପରଦା, ଗାଲିଚା ମିଳେ । ଏହି ଶାଢ଼ିର ଚାହିଦା କେବଳ ଓଡ଼ିଶାରେ ନୁହେଁ, ଭାରତରେ ମଧ୍ୟ ରହିଛି । ଖଣ୍ଡିଏ ଖଣ୍ଡିଏ ଶାଢ଼ିର ମୂଲ୍ୟ ଦଶ ପନ୍ଦର ହଜାର ଟଙ୍କାରୁ ଅଧିକ । ଏହିସବୁ ଶାଢ଼ିର ଧଡ଼ି, ଆଞ୍ଚଲ ଓ ଦେହରେ ସ୍ଥାନେ ସ୍ଥାନେ କୋଟିକାମ ଚିତ୍ରମାନ ତନ୍ତ୍ର ସାହାଯ୍ୟରେ ବୁଣାଯାଇଥାଏ । କେତେକ ଶାଢ଼ିରେ ରୂପା ଓ ସୁନାର ଜରିମାନ ଲାଗିଥାଏ । ପରଦାଗୁଡ଼ିକରେ ବିଭିନ୍ନ ମନ୍ଦିର, ରାଧାକୃଷ୍ଣ ଯୁଗଳ ମୂର୍ତ୍ତି, ଗଣେଶ, ଶିବ, ମୟୂର, ସିଂହ, ବାଘ ଆଦିର ସୁଦୃଶ୍ୟ ଛବିମାନ ତନ୍ତଦ୍ଵାରା ବୁଣା ଯାଇଥାଏ । ଏହାର ଚମତ୍କାରିତା କ୍ରେତାମାନଙ୍କୁ ଆକୃଷ୍ଟ କରିଥାଏ ।

 

ବାଲେଶ୍ଵର ଜିଲ୍ଲାର ରାଇବଣିଆ ନିକଟସ୍ଥ ମାକିଡ଼ିଆ, ଭଦ୍ରକର ଆଗରପଡ଼ା, କଟକର ନୂଆପାଟଣା, ମୟୂରଭଞ୍ଜର ବାଙ୍ଗିରୀପୋଷି, କେନ୍ଦୁଝର ଜିଲ୍ଲାର ତେଲକୋଇଠାରେ ମଠା ଓ ଟସର ଲୁଗା ପ୍ରଧାନ କୁଟୀର ଶିଳ୍ପ । ବିବାହ, ବ୍ରତ, ପୂଜା, ପର୍ବପର୍ବାଣୀରେ ମଠାଲୁଗା ପିନ୍ଧିବାକୁ ଲୋକମାନେ ପସନ୍ଦ କରନ୍ତି । ଏଥିପାଇଁ ମଠା ଓ ଟସର ଲୁଗାର ଆଦର ରହିଛି । ଏଣ୍ଡିପୋକର ଖୋସାରୁ ସୂତା ବାହାର କରାଯାଇ ମଠା ଓ ଟସର ଲୁଗା ପ୍ରସ୍ତୁତ କରାଯାଏ । ଏବେ ଏଣ୍ଡିପୋକ ଚାଷ କରାଯାଉଛି । କଟକ ଜିଲ୍ଲାର ନୂଆପାଟଣା ଏବଂ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ କାଣ୍ଟିଆ ଚାଦର ତନ୍ତୀମାନେ ବୁଣି ବିଶେଷ ଲାଭବାନ ହୋଇ ପାରୁଛନ୍ତି । ମଠା ଓ ଟସରଠାରୁ ଏହାର ଦାମ୍ କମ୍ ହେଉଥିବାରୁ ଏହା ବହୁଳଭାବେ ବିକ୍ରି ହୋଇଥାଏ ।

 

କଟକ ଜିଲ୍ଲାର ମାଣିଆବନ୍ଧୀ ଶାଢ଼ିର ଯଥେଷ୍ଟ ସୁନାମ ରହିଛି । ମାଣିଆବନ୍ଧୀ ଶାଢ଼ିର ନାମ ସମସ୍ତେ ଜାଣନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାଟଲୁଗା ପାଇଁ ଖ୍ୟାତି ଅର୍ଜନ କରିଛି । ବ୍ରହ୍ମପୁରୀ ପାଟର ଏକ ଲୋଭନୀୟ ଆକର୍ଷଣ ରହିଛି । ଏଣୁ ସ୍ତ୍ରୀ ଲୋକମାନେ ଏହି ଶାଢ଼ି ପରିଧାନ ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି । ସୋନପୁର ଜିଲ୍ଲାରେ ସୋନପୁରଠାରେ ମଧ୍ୟ ପାଟବସ୍ତ୍ର ଉତ୍ପାଦିତ ହୁଏ ।

 

ଓଡ଼ିଶାକୁ ବାହାର ରାଜ୍ୟରୁ ଯେତେ ଲୁଗା ଆମଦାନୀ ହେଲେ ମଧ୍ୟ ସମ୍ବଲପୁରୀ ଶାଢ଼ି, ବ୍ରହ୍ମପୁରୀ ପାଟ, ମୟୂରଭଞ୍ଜୀ ମଠାଲୁଗାର ଆଦର ସବୁଁଠୁ ବେଶୀ । ଏହା କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଏପରିକି ବିଦେଶରେ ମଧ୍ୟ ଆଦୃତ ।

 

କୋରାପୁଟ ଜିଲ୍ଲାର କୋରାପୁଟ ଓ ସୁନାବେଡ଼ାଠାରେ ମିଳୁଥିବା ଶାଢ଼ିକୁ “କେରଙ୍ଗ ଶାଢ଼ି” କୁହାଯାଏ । ଏହି କେରଙ୍ଗ ଶାଢ଼ି ସେ ଅଞ୍ଚଳର ଲୋକଙ୍କର ବଡ଼ ପସନ୍ଦ । ଏହା ପିନ୍ଧିବାକୁ ସେଠାକାର ସ୍ତ୍ରୀ ଲୋକମାନେ ଭାରି ଆଗ୍ରହ ପ୍ରକାଶ କରିଥା’ନ୍ତି ।

Image

 

ଚାନ୍ଦୁଆ

 

Image

ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ପଡ଼େ ପିପିଲି । ଏହି ପିପିଲିଠାରେ ନାନା କିସମର ଚାନ୍ଦୁଆ, ବ୍ୟାଗ୍, ଛତ୍ର, ଚାମରର ସୁସଜ୍ଜିତ ବିପ୍ପଣୀମାନ ରାସ୍ତାର ଦୁଇ ପାର୍ଶ୍ୱରେ ଶୋଭା ପାଉଥାନ୍ତି । ଦେଶ ବିଦେଶର ପଥିକ ଏଗୁଡ଼ିକୁ ଦେଖିଲାମାତ୍ରେ ଘଡ଼ିଏ ଅଟକିଯାଏ । ଟୁକୁରା ଟୁକୁରା ରଙ୍ଗୀନ କନାକୁ ଯୋଡ଼ି ହାତରେ ସିଲେଇ କରି ଗଢ଼ାଯାଇଥିବା ଚାନ୍ଦୁଆଗୁଡ଼ିକ ଖୁବ୍ ଲୋଭନୀୟ । ଶହ ଶହ ଲୋକ ଚାନ୍ଦୁଆ ତିଆରି କରି ପେଟ ପୋଷୁଛନ୍ତି । ଆଜିକାଲି ବୈଠକ ଖାନା ସଜାଇବା ପାଇଁ ନାନା ରକମର ଛବି ସମ୍ବଳିତ ଛୋଟବଡ଼ ଚାନ୍ଦୁଆମାନ ପିପିଲିରେ ତିଆରି ହୋଇଛି । ପିପିଲିଠାରେ ତିଆରି ହେଉଥିବା ଚାନ୍ଦୁଆ, ଛତ୍ର, ଛୋଟବଡ଼ ବ୍ୟାଗ୍, ବିଞ୍ଚଣା ପ୍ରଭୃତି କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।

Image

 

ତାରକସି କାମ

 

Image

କଟକ ସହରର ତାରକସି କାମ ସମଗ୍ର ପୃଥିବୀରେ ଚମକ ସୃଷ୍ଟି କରିପାରିଛି । ସୁନା ରୂପାକୁ ସୂକ୍ଷ୍ମ ତାରରେ ପରିଣତ କରି ସେଥିରେ ନାନା ରକମର ଅଳଙ୍କାର, ମୂର୍ତ୍ତି, ମନ୍ଦିର, ବୋଇତ ପଶୁପକ୍ଷୀ ଆଦି ଗଢ଼ାଯାଉଛି । ସେଗୁଡ଼ିକ ଏଡ଼େ ସୁନ୍ଦର ଓ ବାସ୍ତବ ହେଉଛି ଯେ ନ ଦେଖିଲେ ବିଶ୍ୱାସ କରିହୁଏ ନାହିଁ । ଶହ ଶହ କାରିଗର ଏହି ତାରକସି କାମ କରି ସୁଖରେ ଜୀବନ ବିତଉଛନ୍ତି-। ତାରକସି ଅଳଙ୍କାର ଖୁବ୍ ପ୍ରସିଦ୍ଧି ଅର୍ଜ୍ଜନ କରିଛି । ସ୍ତ୍ରୀ ଲୋକମାନେ ଏହା ପିନ୍ଧିବାକୁ ଖୁବ୍ ପସନ୍ଦ କରିଥା’ନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ ଏହି ତାରକସି ଶିଳ୍ପ ପାଇଁ ବହୁବିଧ ଉଦ୍ୟମ କରି ସୁନାମ ଅର୍ଜନ କରିଯାଇଛନ୍ତି ।

 

ଏବେ ବୈଠକଖାନା ସଜେଇବା ପାଇଁ ପାଲଟଣା ବୋଇତ କୋଣାର୍କ ମନ୍ଦିର, ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସବୁ ତାରକସିରେ ମିଳୁଛି ।

 

ବିଶିଷ୍ଟ ଅତିଥିଙ୍କୁ ସ୍ଵାଗତ କରିବା ସମୟରେ କିମ୍ଵା ବିଦାୟ ଦେବା ସମୟରେ ଏହି ତାରକସି କାମର ଉପହାରମାନ ଦିଆଯିବା ଏକ ସାଧାରଣ ଘଟଣା ହୋଇଗଲାଣି । ଏପରିକି ସରକାରୀ ଭାବେ ବିଦେଶାଗତ ଅତିଥିମାନଙ୍କ ପାଇଁ ତାରକସି କାମର ଉପହାର ଦେବା ଓଡ଼ିଶାର ଗର୍ବ ଓ ଗୌରବ ବୋଲି ବିବେଚନା କରାଯାଉଛି । ସୋନପୁର ଜିଲ୍ଲାର ତରଭାଠାରେ ମଧ୍ୟ ରୂପାରେ ନାନାବିଧ ସାମଗ୍ରୀ ତିଆରି ହୋଇଥାଏ । ତରଭା ଏଇ ରୂପା କାମ ପାଇଁ ବିଖ୍ୟାତ ।

Image

ଏଇ କିଛି ବର୍ଷ ହେଲା ପବିତ୍ର ଦୁର୍ଗାପୂଜା ଅବସରରେ କଟକର କେତେକ ମଣ୍ଡପରେ ମୂର୍ତ୍ତିଗୁଡ଼ିକ ସୁନା କିମ୍ବା ରୂପାର ତାରକସି କାମରେ କରାଯାଉଛି । ଏହି ଏତେ ଆକର୍ଷଣୀୟ ହେଉଛି ଯେ ପ୍ରବଳ ଜନଗହଳି ଲାଗି ରହୁଛି । ଖବର କାଗଜମାନଙ୍କରେ ଏହାର ଭୁରିଭୁରି ପ୍ରଶଂସା କରାଯାଉଛି ।

Image

 

ଶିଙ୍ଗ କାମ

 

Image

ଓଡ଼ିଶାରେ ଲୋକମାନେ ଗାଈଗୋରୁ, ମଇଁଷି ପ୍ରଭୃତି ଘରେ ପାଳିଥାନ୍ତି । ଏହାଛଡ଼ା ହରିଣ ସମ୍ବର ଆଦି ଓଡ଼ିଶାର ଜଙ୍ଗଲମାନଙ୍କରେ ଦେଖାଯାନ୍ତି, ଏଇସବୁ ପଶୁମାନଙ୍କଠାରୁ ଶିଙ୍ଗ ମିଳିଥାଏ । ଶିଙ୍ଗରୁ ବିଭିନ୍ନ ପ୍ରଜାର ପାନିଆ, ମାଛ, କଙ୍କଡ଼ା, ବୋଇତ, ନର୍ତ୍ତକନର୍ତ୍ତକୀ, ବାତ୍ସଲ୍ୟ ମମତାର ମା’ ଓ ଶିଶୁ ମୂର୍ତ୍ତି ସୌନ୍ଦର୍ଯ୍ୟମୟୀ ନାରୀ ମୂର୍ତ୍ତି ଇତ୍ୟାଦି ଶିଙ୍ଗ ଶିଳ୍ପୀମାନେ ସୁନ୍ଦର ଓ ଅବିକଳ ଭାବେ ଗଢ଼ିପାରନ୍ତି । ଏଇ ଶିଙ୍ଗଶିଳ୍ପ ପାଇଁ କଟକର ରାଣୀହାଟ ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଖୁବ୍ ପ୍ରସିଦ୍ଧ । ଶିଙ୍ଗକୁ କାଟି ପଲିସି କରି ଏତେ ଚିକ୍କଣ କରାଯାଇଥାଏ ଯେ ତାହା ଅତ୍ୟନ୍ତ ମନୋହାରୀ ହୋଇଥାଏ । ପାରଳାଖେମୁଣ୍ଡିର ଶିଙ୍ଗକାମ ପୃଥିବୀ ପ୍ରସିଦ୍ଧ । ହଜାର ହଜାର କାରିଗର ନିଜ ଘରେ ବସି ଏସବୁ ଗଢ଼ୁଥାନ୍ତି । ପାରଳାଖେମୁଣ୍ଡିର ଗଜପତି ମହାରାଜା ଏହି କୁଟୀର ଶିଳ୍ପର ବିକାଶ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି ।

Image

 

ପଥର ମୂର୍ତ୍ତି

 

Image

କଠିନ ପଥର ଦେହରେ ଜୀବନ୍ୟାସ ଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଠନ କରିବା କଳା ଓଡ଼ିଶାର କାରିଗରମାନଙ୍କୁ ବହୁ ଆଗରୁ ଜଣା ଥିଲା । ଓଡ଼ିଶାର ପ୍ରତିଟି ଗ୍ରାମରେ ଦେବଦେବୀମାନଙ୍କର ଯେଉଁସବୁ ମୂର୍ତ୍ତି ଆଜି ପୂଜା ପାଉଛି, ସେଗୁଡ଼ିକ ଆମ ରାଜ୍ୟର କାରିଗରମାନଙ୍କର ହାତରେ ଗଢ଼ା ହୋଇଛି । ସେତେବେଳେ ଏଇ ସବୁ ମୂର୍ତ୍ତି ଗଠନ କରୁଥିବା ଲୋକଙ୍କୁ ବଢ଼େଇ ବା ମହାରଣା କୁହାଯାଉଥିଲା । ଆଜି ସେଇମାନଙ୍କ ବଂଶଧରମାନେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବସବାସ କରୁଅଛନ୍ତି । କିନ୍ତୁ ସେମାନେ ସମସ୍ତେ ଏବେ ଆଉ ପଥର ମୂର୍ତ୍ତି ଗଢ଼ୁନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ କାଠକାମ କରୁଛନ୍ତି ।

 

ପୁରୀ ଏବଂ ବାଲେଶ୍ଵରର ନୀଳଗିରିଠାରେ ଶିଳ୍ପୀମାନେ ପଥରର ମୂର୍ତ୍ତି ସବୁ ଗଢ଼ୁଛନ୍ତି । ଓଡ଼ିଶାର ନୀଳଗିରିଠାରେ କଳା-ମୁଗୁନି ପଥର ମିଳେ । ଓଡ଼ିଶାର ଯେତେ ଦେବଦେବୀଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମିତ ହୋଇଛି, ସେ ସବୁ ନୀଳଗିରିରୁ ଯାଇଛି ବୋଲି ଗବେଷକମାନେ ମତ ଦିଅନ୍ତି । ଏପରିକି ପୁରୀ, କୋଣାର୍କ, ଭୁବନେଶ୍ଵରର ମନ୍ଦିର ଓ ଶହ ଶହ ମୂର୍ତ୍ତି ନୀଳଗିରିଠାରୁ ନିଆଯାଇଥିବା କଳା ମୁଗୁନି ପଥରରେ ଗଢ଼ାଯାଇଛି ।

 

ଭୁବନେଶ୍ଵର ନିକଟବର୍ତ୍ତୀ ପାହାଡ଼ମାନଙ୍କରେ ଆଉ ଏକ ପ୍ରକାରର ପଥର ମିଳେ । ତାକୁ ରାଜାରାଣୀୟାଁ ପଥର କହନ୍ତି । ଲାଲ ଓ ଇଷତ୍ ଧଳାସ୍ତର ମିଶାମିଶି ଥିବାରୁ ଏପରି ନାମକରଣ କରାଯାଇଛି । ଏହି ପଥରରେ ଭୁବନେଶ୍ଵରର ବିଖ୍ୟାତ ରାଜାରାଣୀ ମନ୍ଦିର ନିର୍ମିତ ହୋଇଛି ।

 

ରାଜାରାଣୀୟାଁ ପଥର ମୁଗୁନି ପଥର ଭଳି କଠିନ ନୁହେଁ । ଏଥିରେ ମୂର୍ତ୍ତି ଗଢ଼ିବା ଆପାତତଃ ସହଜ । ମୁଗୁନି ପଥରରେ ମୂର୍ତ୍ତି ଗଢ଼ିବା କଠିନ । ମାତ୍ର ଆମର ଶିଳ୍ପୀମାନେ ପଥର ଦେହରେ ନିହାଣ ମୁନରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ନ୍ତି ।

 

ପ୍ରାୟ ନବମ, ଦଶମ ଶତାବ୍ଦୀ ବେଳକୁ ଓଡ଼ିଶାରେ ପଥର-ମୂର୍ତ୍ତି-ଶିଳ୍ପର ବିପୁଳ ପ୍ରସାର ଘଟିଥିଲା । ରାଜାମାନେ ନିଜର ଗୌରବମୟ କୀର୍ତ୍ତି ନିମିତ୍ତ ମୂର୍ତ୍ତି ଓ ମନ୍ଦିରମାନ ଦାନ କରୁଥିଲେ । ଫଳରେ ପୃଥିବୀବିଖ୍ୟାତ ପୁରୀ-କୋଣାର୍କ-ଭୁବନେଶ୍ଵର ମନ୍ଦିର ଏହି ସମୟରେ ନିର୍ମିତ ହୋଇ ଓଡ଼ିଶାର ଯଶ ଗୌରବକୁ ସମଗ୍ର ପୃଥିବୀରେ ଉଡ଼ାଇ ପାରିଥିଲା । ବହୁ କାହାଣୀ ଓ କିମ୍ବଦନ୍ତୀ ଓଡ଼ିଶାର ମୂର୍ତ୍ତି ଶିଳ୍ପକୁ ନେଇ ଗଢ଼ି ଉଠିଥିଲା । ଧରମା ଓ ବିଶୁ ମହାରଣାର କାହାଣୀ, “ପୁଅରେ ଦାୟ ନା ବାରଶହ ବଢ଼େଇର ଦାୟ” ଏହିପରି ଏକ କାହାଣୀ ।

 

ଲାଙ୍ଗୁଳା ନରସିଂହ ଦେବଙ୍କ ଆଦେଶରେ ଚନ୍ଦ୍ରଭାଗା ମୁହାଣ ପୋତି କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ତିଆରି ହେଉଥାଏ । ମାତ୍ର ବାରଶହ ବଢ଼େଇଙ୍କର ଶତଚେଷ୍ଟା ଫଳରେ ମନ୍ଦିରର ଚୂଳି ମରାଯାଇ ପାରୁନଥାଏ । ରାଜା ହୁକୁମ କଲେ ରାତି ପାହିବା ପୂର୍ବରୁ ଯଦି ଦେଉଳର ମୁଣ୍ଡି ନ ମରେ ତେବେ ବାରଶହ ବଢ଼େଇଙ୍କର ମୁଣ୍ଡ କାଟ ହେବ ।

 

ସେଇଦିନ ସଞ୍ଜରେ ଖୋଜିଖୋଜି ପହଞ୍ଚିଥାଏ ତା’ର ବାପାକୁ ବାରବରଷର ବାଳୁ ପିଲା ଧରମା । ବାରବର୍ଷ ତଳେ ବାପା ବିଶୁ ମହାରଣା ଘର ଛାଡ଼ିଲା ବେଳକୁ ଧରମା ଥାଏ ମାତୃଗର୍ଭରେ-। ଏଇ ବାରବରଷ ଭିତରେ ଘରେ ଥିବା ଶିଳ୍ପୀଶାସ୍ତ୍ର ପଢ଼ି ସେ ମନ୍ଦିର ଗଢ଼ିବା କୌଶଳ ଶିଖି ଯାଇଥାଏ । ବାଡ଼ି ବରକୋଳି ଓ ବଳିଆ କୁକୁର ସନ୍ତକ ନେଇ ସେ ବାପାଙ୍କୁ ଚିହ୍ନେ । କିନ୍ତୁ ବାପାଙ୍କ ମୁହଁରେ ଲିଭିଯାଇଥାଏ ହସ । ବାପା ଥାଆନ୍ତି ବାରଶହ ବଢ଼େଇଙ୍କର ମୁଖ୍ୟ । ସେମାନଙ୍କୁ ରକ୍ଷା କରିବାର ସମସ୍ତ ଚେଷ୍ଟା ସରି ସରି ଆସୁଥାଏ । ରାତି ପାହିଲେ ମୁଣ୍ଡ କାଟ ହେବା କଥା ଶୁଣି ଧରମା ଅଣ୍ଟା ଭିଡ଼ିଲା । ବାପାଙ୍କୁ ସାହସ ଦେଲା । ସେ ମୁଣ୍ଡି ମାରିଦେଇ ପାରିବ ବୋଲି ଜୋର ଦେଇ କହିଲା ।

 

ବୁଡ଼ିଗଲା ଲୋକର କୁଟା ଖିଅକୁ ଆଶା । ସେଇ ଆଶାରେ ଧରମାକୁ ପଠେଇଲେ ବାପା ଦେଉଳର ମୁଣ୍ଡି ମାରିବାକୁ । ଅଚାନକେ ତାହା ସମ୍ଭବ କରିଦେଲା ବାରବରଷର ବାଳୁତ ପିଲା । ପୁଣି ଆଉ ଏକ ଚିନ୍ତା ପଶିଲା ବଢ଼େଇଙ୍କ ମୁଣ୍ଡରେ । ରାଜା ଯଦି ଶୁଣନ୍ତି, ଏଇ ସାନ ପିଲାଟି ‘ଦଧିନଉତି’ ବସେଇଛି ତା’ ହେଲେ କ’ଣ ଛାଡ଼ିବେ । ସମସ୍ତଙ୍କର ନିଶ୍ଚୟ ମୁଣ୍ଡ କାଟ ହେବ । ତେଣୁ ସମସ୍ତେ ଏକସ୍ୱରରେ ବିଶୁମହାରଣାକୁ ପ୍ରଶ୍ନ କଲେ, ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ-। ବିଶୁ ଅପ୍ରତିଭ ହୋଇଗଲେ । ଧରମା କାନରେ ବାଜିଲା ଏଇ କଥା । ସେ ଆଶ୍ୱାସନା ଦେଲା, ନା.....ବାରଶହ ବଢ଼େଇ ବଞ୍ଚି ରହିବା ଦରକାର । ତେଣୁ ସେ କାଳବିଳମ୍ବ ନକରି ମନ୍ଦିରର ଚୂଡ଼ାରୁ ଗଭୀର ସମୁଦ୍ରକୁ ଲମ୍ଫ ପ୍ରଦାନ କଲା ।

 

ଏ ଥିଲା ସେଇ କାହାଣୀ, ଯେଉଁ କାହାଣୀ ସତ୍ୟ ଓ ଓଡ଼ିଶାର ଜନଜୀବନ ସହ ଜଡ଼ିତ । ଶିଳ୍ପୀ ଶାସ୍ତ୍ର ରଚିତ ହୋଇଥିଲା । ଘରେ ଘରେ ମୂର୍ତ୍ତି-କଳା-ନୈପୁଣ୍ୟ ଫୁଟି ଉଠୁଥିଲା । ନିହାଣ ଓ ବାରିସି ମୁନରେ ବଢ଼େଇ ଓ ମହାରଣାମାନଙ୍କର । କାଳର କରାଳ ଗତିରେ ଶିଳ୍ପୀମାନେ ଉପଯୁକ୍ତ ପୃଷ୍ଠପୋଷକତା ଅଭାବରୁ ଏହି କାର୍ଯ୍ୟରୁ ଆସ୍ତେ ଆସ୍ତେ ଦୂରେଇ ଗଲେ । ତଥାପି ସେଇସବୁ ପ୍ରାଚୀନ କାରୁକାର୍ଯ୍ୟ ମୂର୍ତ୍ତି ଓ ମନ୍ଦିରଗୁଡ଼ିକୁ ଦେଖିଲେ ଆଜି ବି ବିସ୍ମୟର ଅବକାଶ ରହେନାହିଁ ।

 

ଆଜି ଓଡ଼ିଶାର ପାହାଡ଼, ପର୍ବତ, ବିଲବନ, ନଈଝରଣା କୂଳ ଖୋଳିଲେ ମାଟିତଳୁ ଏହି ଦିବ୍ୟସୁନ୍ଦର ମୂର୍ତ୍ତିମାନ ମିଳୁଛି । ଖବର କାଗଜରେ ଏହିପରି ଖବର ବାହାରିଲେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଉଛି ।

 

କେନ୍ଦୁଝର ଜିଲ୍ଲାର ସୀତା ବାଞ୍ଝିଗୁମ୍ଫାରେ ପାଗ୍-ଐତିହାସିକ ଯୁଗର ଚିତ୍ରକଳା ଆଜି ବି ସୁନ୍ଦରଭାବେ ରହିଛି । ଖଣ୍ଡଗିରିର ରାଣୀଗୁମ୍ଫା ଓ ହାତୀଗୁମ୍ଫାରେ ମଧ୍ୟ ବହୁ ଚିତ୍ର ଖୋଦିତ ହୋଇଛି-। ଏଇଥିରୁ ଜଣାଯାଏ ଓଡ଼ିଶାରେ ପଥର ମୂର୍ତ୍ତି ଖୋଦନକରିବା ଏକ ପ୍ରାଚୀନ କଳା । ପୁରୀ ଓ ବାଲେଶ୍ଵରର ନୀଳଗିରିଠାରେ ଆଜି ମଧ୍ୟ ଯେଉଁସବୁ ମୂର୍ତ୍ତି ତିଆରି ହେଉଛି । ତାହା ସେବେଳର ମୂର୍ତ୍ତିଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ ।

 

ଧନୀ ଶ୍ରେଣୀର ଲୋକମାନେ ଏଇସବୁ ମୂର୍ତ୍ତି ଓ ପଥର ଖୋଦେଇ କାରୁକାର୍ଯ୍ୟମାନ ଘର ସଜେଇବା ପାଇଁ କିଣନ୍ତି । ବିଶିଷ୍ଟ ଲୋକମାନଙ୍କ ପ୍ରତିମୂର୍ତ୍ତି ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରତିଷ୍ଠା କରାଯାଏ । ଧାର୍ମିକ ଲୋକମାନେ ମନ୍ଦିର ତୋଳି ତା’ ଭିତରେ ଦରକାରୀ ମୂର୍ତ୍ତିକୁ ନେଇ ପୂଜା କରନ୍ତି । ବିଦେଶରେ ଏଇସବୁ ମୂର୍ତ୍ତି ବହୁମୂଲ୍ୟରେ ବିକ୍ରୟ କରାଯାଇଥାଏ । ବିଶେଷତଃ ବୌଦ୍ଧ ଓ ଜୈନମୂର୍ତ୍ତି ଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କାରେ ବିଦେଶକୁ ରପ୍ତାନୀ କରାଯାଏ । ଏହା ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଏହି ଶିଳ୍ପର ଆଶାତୀତ ପ୍ରଗତି ଦେଖାଦେଇଛି ।

Image

 

ପଟ୍ଟ ଚିତ୍ର

 

Image

ପୁରୀର ଏହା ଏକ ପ୍ରଧାନ କୁଟୀର ଶିଳ୍ପ । କନା ଉପରେ ତରଳ ଜଉର ମଣ୍ଡ ଦେଇ ତା’ ଉପରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ଏକ ବିଶେଷ କଳାଭାବେ ପରିଗଣିତ । ଏଥିରେ ଚିତ୍ରିତ ଛବିସବୁ ମନ୍ଦିରମାନଙ୍କରେ ଥିବା ଚିତ୍ରକଳା ପରି । ପଟ୍ଟଚିତ୍ରକୁ କୁଟୀର ଶିଳ୍ପ ଭାବେ ଗ୍ରହଣ କରିଥିବା ପରିବାରଗୁଡ଼ିକ ସାଧାରଣତଃ ଚିତ୍ରକର ପରିବାର । ଏହିମାନେ ମନ୍ଦିରରେ ଥିବା ଚିତ୍ରଗୁଡ଼ିକରେ ରଙ୍ଗ ଦିଅନ୍ତି । ମନ୍ଦିରର ଭିତର କାନ୍ଥରେ ଦଶ ଅବତାର ରାମଲୀଳା, କୃଷ୍ଣ ଚରିତ, ରାସଲୀଳା, ପରି ପୌରାଣିକ ଚିତ୍ରାମ ଆଙ୍କିବାରେ ସିଦ୍ଧହସ୍ତ ଥିବା ଏହି ଚିତ୍ରକରମାନେ ପଟ୍ଟଚିତ୍ର ଅଙ୍କନ କରିଥାନ୍ତି ।

 

ପଟ୍ଟଚିତ୍ର ବୈଠକ ଘରର ସୌନ୍ଦର୍ଯ୍ୟ ବଢ଼ାଇଥାଏ । ପୁରୀର ଏହି ଶିଳ୍ପୀମାନେ ମଧ୍ୟ ଜଗନ୍ନାଥଙ୍କର ମୂର୍ତ୍ତି କାଠରେ ଖୋଳି ରଙ୍ଗଦେଇ ବିକ୍ରୟ କରନ୍ତି । ପୁରୀକୁ ଆସୁଥିବା ହଜାର ହଜାର ଭକ୍ତ ଫେରିଲାବେଳେ, ଜଗନ୍ନାଥଙ୍କ ଏହି ମୂର୍ତ୍ତିସବୁ କିଣି ଘରକୁ ନିଅନ୍ତି । ପଟ୍ଟଚିତ୍ର, ଜଗନ୍ନାଥଙ୍କ ମୂର୍ତ୍ତି ଓ ଜଗନ୍ନାଥଙ୍କ ଫଟୋ, ବିକ୍ରୟରୁ ଏମାନେ ଭଲ ପଇସା ରୋଜଗାର କରିଥାନ୍ତି ।

Image

 

ସପ ମସିଣା

 

Image

ଓଡ଼ିଶାର ଉତ୍ତରରେ ବାଲେଶ୍ଵର ଜିଲ୍ଲା । ଏହି ଜିଲ୍ଲାର ଉତ୍ତରରେ ଜଳେଶ୍ଵର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ସପ ମସିଣା ତିଆରି ଲୋକଙ୍କର ପ୍ରଧାନ କୁଟୀର ଶିଳ୍ପ । ଏକପ୍ରକାର ଘାସରୁ ଏହା ତିଆରି କରାଯାଏ । ଏହି ଘାସକୁ ଚାଷ କରିବାକୁ ହୁଏ । ସେଗୁଡ଼ିକୁ କାଟି ଦୁଇଫାଳ କିମ୍ବା ଚାରିଫାଳ ଚିରାଯାଏ । ସେଗୁଡ଼ିକୁ ଖରାରେ ଶୁଖେଇ ଦିଆଯାଏ । ସେଇ କାଠିରେ ମସିଣା ବୁଣାଯାଏ । ସରୁ ସୂତାରେ ରଙ୍ଗୀନ କାଠି ସାହାଯ୍ୟରେ ସୂତାମସିଣା ମଧ୍ୟ ବୁଣାଯାଏ । ଏଗୁଡ଼ିକୁ ଖରାଦିନରେ ବିଛଣା ଉପରେ ପକାଇ ଶୁଆଯାଏ । ଏହା ଦେହକୁ ଥଣ୍ଡା ଲାଗେ ।

 

ଶୁଖିଲା କାଠିକୁ ଜଳରେ ବତୁରାଇ ତା ମଝି ଅଂଶକୁ ଛୁରି ସାହାଯ୍ୟରେ ଚାଞ୍ଛ ବାହାର କରି ଦିଆଯାଏ । ତା’ପରେ ରଙ୍ଗ କରାଯାଏ । ଏହି ରଙ୍ଗୀନ କାଠିରେ ସୂତାମସିଣା ବୁଣାଯାଏ । ବୁଣିବାବେଳେ ବୁଣାଳି ସେଥିରେ ନାମ, ଗଣେଶ, ଶିବ, କୃଷ୍ଣ, ବାଘ, ହାତୀ, ମୟୂର, ସିଂହ ଆଦି ଚିତ୍ର ଅତି ଜୀବନ୍ତ ଭାବେ ଗଢ଼ିଦିଏ । ବିଭିନ୍ନ କୁଟୀର ଶିଳ୍ପ ପ୍ରଦର୍ଶନୀମାନଙ୍କରେ ଏହିପରି ସୂତା ମସିଣାର ବହୁଳ ବିକ୍ରି ହୋଇଥାଏ । ଘରେ ଘରେ ଏହାର ଚାହିଦା ରହିଛି । ବିଶେଷତଃ ଏହାର ସୁନ୍ଦର ଚିତ୍ରିତ ପୃଷ୍ଠ ସମସ୍ତଙ୍କୁ ଆକର୍ଷଣ କରେ । ବାହାଘର, ବ୍ରତଘର ପାଇଁ ଏହା ସାଧାରଣତଃ ଆଦରର ସହିତ କିଣାଯାଇଥାଏ ।

 

ଓଡ଼ିଶାର ପଶ୍ଚିମରେ ଥିବା କନ୍ଧମାଳ ଜିଲ୍ଲାରେ ମଧ୍ୟ ସପମସିଣା ତିଆରି ହୁଏ । ସେଠାକାର ଲୋକମାନଙ୍କର ଏହା ଏକ ପ୍ରଧାନ କୁଟୀର ଶିଳ୍ପ ।

 

ଏବେ ପ୍ଲାଷ୍ଟିକ୍‍ ରେ ମସିଣା କାଠି ପରି ସରୁକାଠି ତିଆରି ହେଲାଣି । ସେଗୁଡ଼ିକୁ ଆଣି ଆବଶ୍ୟକସ୍ଥଳେ ରଙ୍ଗରେ ଭିଜାଇ ମଧ୍ୟ ସୂତାରେ ମସିଣା ପରି ବୁଣାଯାଉଛି । ଏହା ମସିଣା କାଠିଠାରୁ ଶସ୍ତା ପଡ଼ୁଛି । ମାତ୍ର ଏହା ପ୍ରାକୃତିକ ମସିଣା କାଠିପରି ମୁଲାୟମ ନୁହେଁ । ଥଣ୍ଡା ମଧ୍ୟ ଲାଗେ ନାହିଁ । ବରଂ ଏହି ମସିଣାରେ ଶୋଇଲେ ଖସ, ଘିମିରି ବାହାରେ ।

Image

 

ବେତ ଓ ବାଉଁଶ କାମ

 

Image

ଓଡ଼ିଶାର ଗାଁ ମାନଙ୍କଠାରୁ ଜଙ୍ଗଲ ପର୍ଯ୍ୟନ୍ତ ପ୍ରାୟ ସବୁଠି ବେତ ଓ ବାଉଁଶ ଗଉ ଦେଖିବାକୁ ମିଳେ । ବେତ ଓ ବାଉଁଶରୁ ନାନାଦି ଗୃହ ଉପକରଣ ପ୍ରସ୍ତୁତ ହୋଇଥାଏ । ଏଗୁଡ଼ିକ ଆମର ଦୈନନ୍ଦିନ ଜୀବନରେ ଦରକାର ହୋଇଥାଏ । କୁଲା, ଚଲା, ପାଛିଆ, ଟୋକେଇ, ବୋଝ, ଗାଣ୍ଡୁଆ, ଖେଳୋଇ, ଝୁଡ଼ି, ଡାଲା ଭୋଗ ଡାଲା, ତଲେଇ, ତାଟି ଇତ୍ୟାଦି ବାଉଁଶରୁ ତିଆରି ହୋଇଥାଏ । ଉପକୂଳବର୍ତ୍ତୀ ପ୍ରାୟ ସବୁ ଜିଲ୍ଲାରେ ଅନେକ ଲୋକ ଏହି ଶିଳ୍ପକୁ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ଜୀବିକା ନିର୍ବାହ କରନ୍ତି ।

 

ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ପ୍ରଚୁର ବେତ ମିଳେ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟ ବେତ ମିଳେ । ବେତରୁ ଝଙ୍କା, ପାଛିଆ, ଫୁଲଡ଼ାଲା, ସେର, ମାଣ, ଗୌଣୀ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନ ପ୍ରସ୍ତୁତ କରାଯାଏ ।

 

ଏହା ବ୍ୟତୀତ ପୁରୀ, କଟକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ବାଉଁଶ ଓ ବେତରୁ ବହୁ ସୁନ୍ଦର ଜିନିଷ ତିଆରି କରାଯାଇ ଦେଶବିଦେଶକୁ ରପ୍ତାନୀ କରାଯାଉଛି । ବାଉଁଶ କଣିକୁ ସୂତାରେ ବୁଣି ତା’ ଉପରେ ବିଭିନ୍ନ ସୁନ୍ଦର ସୁନ୍ଦର ଚିତ୍ର ଆଠକି ଦିଆଯାଉଛି । ଏ ସଇକୁ ବୈଠକଖାନାରେ ଟଙ୍ଗାଇଲେ ଘରକୁ ବେଶ୍ ମାନେ । ବାଉଁଶ କଣିରୁ ବିଞ୍ଚଣା, ପଙ୍ଖା ଆଦି ମୂଲ୍ୟବାନ ସାମଗ୍ରୀ ତିଆରି ହେଉଛି । ସେହିପରି ବାଲେଶ୍ୱରର ବାଲିଆପାଳ, ମୟୂରଭଞ୍ଜର ବାରିପଦା, କଟକ ଓ ପୁରୀରେ ବେତରେ, ସୋଫା, ଚେୟାର, ଟେବୁଲ ଟିପୟ ଆଦି ତିଆରି କରାଯାଇ ଦେଶ ବିଦେଶକୁ ରପ୍ତାନି କରାଯାଉଛି । ଘନ ଜଙ୍ଗଲର ସରୁ ବାଉଁଶ ଓ ମୋଟା ବେତରେ ଛଣ ବେଣ୍ଟ, ବୟସ୍କ ଲୋକମାନେ ହାତରେ ଧରୁଥିବା ବାଡ଼ି ଇତ୍ୟାଦି ରଙ୍ଗୀନ ଚିତ୍ର ବିଚିତ୍ର କରି ବିକ୍ରୟ କରାଯାଉଛି ।

 

ବାଉଁଶକୁ ଛେଚି ଗୁଣ୍ଡକରି ତାକୁ ସିଝାଇ ମଣ୍ଡ ପ୍ରସ୍ତୁତ କରାଯାଇ ସେଥିରୁ କାଗଜ ତିଆରି ମଧ୍ୟ କରାଯାଉଛି । ଏହି ହାତ ତିଆରି କଗଜ ମୋଟା ଓ ମଳିଚିଆ । କିନ୍ତୁ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ଙ୍କ ସହାୟତାରେ କଟକଠାରେ ଏପରି କୁଟୀର ଶିଳ୍ପ ମାନ ଚାଲୁଛି ।

Image

 

ପୋଡ଼ା ମାଟିର କାମ

 

Image

ମାଟିରେ ହାଣ୍ଡି, କଳସୀ, ମାଠିଆ, ପଲମ, ଠେକି, ସରା, ଦୀପ, ସଞ୍ଚୟ ପେଡ଼ି, ସିନ୍ଦୂର ରଖା ପାତ୍ର, ଚିଲମ, କଲ୍‍କୀ ଆଦି ଗୃହ ଉପକରଣ ମାନ ଓଡ଼ିଶାର ପ୍ରତି ଜିଲ୍ଲାରେ ତିଆରି ହୋଇଥାଏ । ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଘୋଡ଼ା, ହାତୀ ଓ ବିଭିନ୍ନ ଦେବାଦେବୀ ମାଟିରେ ଗଢ଼ାଯାଇ ତାକୁ ପୋଡ଼ି ଦିଆଯାଏ । ଏହା ଖୁବ୍ ଶକ୍ତ ଓ ଟାଣ ହୋଇଯାଏ । ଆଦିବାସୀମାନେ ଏହି ମାଟି ତିଆରି ଦେବାଦେବୀଙ୍କୁ ପୂଜା କରନ୍ତି ଓ ସେମାନଙ୍କୁ ହାତୀ ଘୋଡ଼ା ମାନସିକ ଦିଅନ୍ତି ।

 

ଓଡ଼ିଶାରେ ମାଟିରେ ଇଟା ଗଢ଼ି ତାକୁ ପୋଡ଼ି ଘର ତିଆରି କରିବା ବହୁ ଆଗରୁ ଜଣା ଥିଲା । ପ୍ରାଚୀନ ଗଡ଼ କିମ୍ବା ରାଜପ୍ରାସାଦର ଭଗ୍ନାବଶେଷରୁ ଏହା ଦେଖିବାକୁ ମିଳିଛି । ମହାରାଜା ଖାରବେଳ ସିଂହପୁର ଆକ୍ରମଣ କରି ତାକୁ ପୋଡ଼ି ନାରଖାର କରିଦେଇଥିଲେ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‍ଡ଼ିଭିଜନରେ ଥିବା ବୈଦାଖିଆ ନିକଟବର୍ତ୍ତୀ ପୋଡ଼ାସିଂହୀ ତାହାର ଅବଶେଷ । ସେଠାରେ ଥିବା ଏକ ବଡ଼ ପାଚିରୀ ସେତେବେଳେ ପୋଡ଼ା ଇଟାରେ ତିଆରି ହୋଇଥିଲା, ଅଦ୍ୟାବଧି ତାହା ରହିଅଛି ।

 

ମାଟିରେ ଟାଇଲ ଗଢ଼ାଯାଇ ତାକୁ ପୋଡ଼ି ଦିଆଯାଏ । ପୋଡ଼ ପାଇଲା ପରେ ତାହା ଟାଣ ଓ ଶକ୍ତ ହୋଇଯାଏ । ଏହି ଟାଇଲରେ ଘର ଛପର କରାଯାଏ । କଥାରେ ଅଛି, ଟାଇଲ ଛପର ଘର, ନିଆଁକୁ ନଥାଏ ଡର ।

 

ଏଇସବୁ ସାଧାରଣ ଜିନିଷ ବ୍ୟତୀତ ଓଡ଼ିଶାରେ ସୁନ୍ଦର ସୁନ୍ଦର ପୋଡ଼ା ମାଟିର କାମ ଦେଖିବାକୁ ମିଳେ । ଭଦ୍ରକ ଜିଲ୍ଲାର ଆଗରପଡ଼ା ଓ କେନ୍ଦୁଝର ଜିଲ୍ଲା ସୋସୋ ଅଞ୍ଚଳରେ ପୋଡ଼ା ମାଟିରେ ବଡ଼ ବଡ଼ ତୁଳସୀ ଚଉରା, ମନ୍ଦିର, କୂଅ ନନ୍ଦ, ବଡ଼, ବଡ଼ ମୂର୍ତ୍ତି ସବୁ ତିଆରି ହୁଏ । ଏହି ପୋଡ଼ା ମାଟିର ମନ୍ଦିର, ତୁଳସୀ ଚଉରା, ମୂର୍ତ୍ତି ସବୁ ଭାରି ଚମତ୍କାର । ଏଗୁଡ଼ିକ ହାଲୁକା, ଟାଣ ଓ କମ୍ ଖର୍ଚ୍ଚରେ ତିଆରି ଅଥଚ ଖୁବ୍ ଆକର୍ଷଣୀୟ ହୋଇଥିବାରୁ ଏ ଅଞ୍ଚଳରେ ଏହାର ଜନପ୍ରିୟତା ରହିଛି । ଆଜିକାଲି ମାଟି ଫିଲଟର ଫୁଲକୁଣ୍ଡ, ସୁରେଇ, ଡଷ୍ଟବିନ୍ ଇତ୍ୟାଦି ପୋଡ଼ା ମାଟିରେ ଏମାନେ ତିଆରି କରୁଛନ୍ତି । ସଭ୍ୟ ସମାଜରେ ଏଗୁଡ଼ିକ ଯଥେଷ୍ଟ ଆଦର ବଢ଼ିଛି । ଏଗୁଡ଼ିକ ବିଶୁଦ୍ଧ ଓ ଜୀବାଣୁ ନାଶକ ।

Image

 

କାଠ କାମ

 

Image

ଓଡ଼ିଶାରେ ଆଜି ବି ଘନ ଜଙ୍ଗଲ ରହିଛି । ଏହି ଜଙ୍ଗଲମାନଙ୍କରେ ଶାଳ, ପିଆଶାଳ, ଅସନ, ଶିଶୁ, ଶାଗୁଆନ ପ୍ରଭୃତି ମୂଲ୍ୟବାନ ଗଛସବୁ ରହିଛି । ଏହି ଗଛଗୁଡ଼ିକର କାଠରେ ସୁନ୍ଦର ସୁନ୍ଦର କାଷ୍ଠୋପକରଣ ସବୁ ତିଆରି ହୋଇଥାଏ । ଲୋକମାନେ ନିଜ ବାଡ଼ିରେ ମଧ୍ୟ ଆମ୍ବ, ପଣସ, ଶିଶୁ, ଶାଗୁଆନ ପ୍ରଭୃତି ଗଛ ଲଗାଇଥା’ନ୍ତି । ଏହିସବୁ ଗଛର କାଠରୁ ମୂଲ୍ୟବାନ ଓ ସୁନ୍ଦର ସୁନ୍ଦର ଘରସଜ୍ଜା ଉପକରଣମାନ ତିଆରି ହୁଏ ।

 

କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, ଢେଙ୍କାନାଳ ଜିଲ୍ଲାର କପିଳାସ ଓ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରେ କାଠରେ ନାନାଦି ମୂର୍ତ୍ତି, ସୁନ୍ଦର ସୁନ୍ଦର ଚିତ୍ର ଖୋଦେଇ କବାଟ, ପଲ୍ୟଙ୍କ, ଚୌକି, ମେଜ, ସୋଫା ଆଦି ତିଆରି ହୋଇ ବିକ୍ରୟ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ତଥା ଓଡ଼ିଶା ବାହାରକୁ ପଠାଯାଏ । ଏହି କାଠ କାରିଗରମାନେ ବଢ଼େଇ ଓ ମହାରଣା ବଂଶଜ । ଏହିସବୁ ଅଞ୍ଚଳର ଲୋକମାନଙ୍କ ଘର ମଧ୍ୟ କାଠରେ ସୁନ୍ଦର ସୁନ୍ଦର ଚିତ୍ର କରି ସଜା ଯାଇଥାଏ । କପିଳାସର ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ମଧ୍ୟ କାଠ କାମର ଅପରୂପ ସୌନ୍ଦର୍ଯ୍ୟ ବହନ କରିଛି ।

 

ଠାକୁରଙ୍କ ଖଟୁଲି, ଦୋଳ ବିମାନ, ଆଲମିରା, ସିନ୍ଦୁକ, ବାକ୍ସ, ଟଙ୍କା ବାକ୍ସ ପ୍ରଭୃତି ଏତେ ଚମତ୍କାର କାରୁକାର୍ଯ୍ୟ କରାଯାଇଥାଏ ଯେ ସେଗୁଡ଼ିକୁ ଦେଖିଲେ ଆଖି ଲାଖି ଯିବ । ଓଡ଼ିଶାର କୁଟୀର ଶିଳ୍ପକୁ ସମଗ୍ର ଭାରତରେ ବିଖ୍ୟାତ କରାଇବା ପାଇଁ ମଧୁସୂଦନ ଦାସ (ମଧୁ ବାରିଷ୍ଟର)ଙ୍କ ପ୍ରମୁଖ ଭୂମିକା ଓଡ଼ିଆ ଜାତିକୁ ଯୁଗେ ଯୁଗେ ସ୍ମରଣ ରଖିବ । ତାଙ୍କ ଓକିଲାତି ଦପ୍ତରରେ ସେ ବ୍ୟବହାର କରୁଥିବା ଟେବୁଲଟିର କାରୁକାର୍ଯ୍ୟ ଦେଖି ଅନେକେ ଆଶ୍ଚର୍ଯ୍ୟ ହେଉଥିଲେ ।

Image

 

ହାତୀ ଦାନ୍ତ କାମ

 

Image

ଏକଦା ଓଡ଼ିଶା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଏହି ଜଙ୍ଗଲମାନଙ୍କରେ ବହୁତ ହାତୀ ରହୁଥିଲେ । ରାଜା ମହାରାଜାଙ୍କର ହାତୀ ଶିକାରୀମାନେ ଜଙ୍ଗଲ ପାର୍ଶ୍ଵରେ ଖାଲକରି ସେଥିରେ ତାଳପତ୍ର ମେଲେଇ ଦେଉଥିଲେ । ନିଆଁ ହୁଳା ଧରି ଢୋଲ ବାଦ୍ୟ ବଜାଇ ହାତୀକୁ ଖେଦିବାକୁ ବହୁଲୋକ ଏକଜୁଟ ହେଉଥିଲେ । ହାତୀ ପଲ ଦଉଡ଼ି ପଳାଇ ଯାଉଥିଲାବେଳେ ଗାତରେ ପଡ଼ି ଆଉ ଉଠିପାରୁ ନଥିଲେ । ପରେ ପୋଷା ହାତୀକୁ ନେଇ ତା’ ପଛରେ ଲୁଚି ବଣୁଆ ହାତୀର ଗୋଡ଼ରେ ଜଞ୍ଜିର ଲଗାଇ ଦେଇ ସେମାନଙ୍କୁ ନେଇ ଆସୁଥିଲେ । ଆସ୍ତେ ଆସ୍ତେ ସେମାନଙ୍କୁ ପୋଷା ମନେଇ ଦେଉଥିଲେ । ଏଇ ହାତୀ ଉପରେ ଚଢ଼ି ସୈନ୍ୟମାନେ ଯୁଦ୍ଧ କରିବାକୁ ଯାଉଥିଲେ-

 

ଓଡ଼ିଶାର ରାଜାମାନଙ୍କର ବହୁତ ହାତୀ ସୈନ୍ୟ ପରିବହନ ଓ ଯୁଦ୍ଧ କାର୍ଯ୍ୟରେ ଲାଗୁଥିଲେ । ଏଥିପାଇଁ ଓଡ଼ିଶାର ରାଜାଙ୍କୁ ‘ଗଜପତି’ କୁହାଯାଇଥାଏ । ଓଡ଼ିଶାରେ ଗୋଟିଏ ପ୍ରବାଦ ଅଛି, “ହାତୀ ଜଙ୍ଗଲରେ ବୁଲିଲେ ବି ରାଜାଙ୍କର ।”

 

ଓଡ଼ିଶାର ଜଙ୍ଗଲରେ ଆଜି ହାତୀପଲସବୁ ରହିଛନ୍ତି । ବେଳେବେଳେ ହାତୀପଲ ଧାନ ବିଲରେ ପଶି ଧାନ ଖାଇଯାଆନ୍ତି । ତାଙ୍କୁ ଘଉଡ଼ାଇଲେ ସେମାନେ ଲୋକଙ୍କ ଉପରେ ଆକ୍ରମଣ କରନ୍ତି ।

 

ଏତେ ହାତୀ ଥିବାରୁ ଓଡ଼ିଶାରେ ପ୍ରଚୁର ହାତୀଦାନ୍ତ ମିଳେ । ଆଗରୁ ହାତୀଦାନ୍ତ ପାଇଁ ହାତୀ ଶିକାର କରାଯାଉଥିଲା । ହାତୀ ବଂଶ କ୍ରମଶଃ କମି କମି ଯିବାରୁ ବର୍ତ୍ତମାନ ହାତୀ ଶିକାର ନିଷେଧ କରାଯାଇଛି । ହାତୀ ଶିକାର ଲୋକଙ୍କୁ ଜେଲ ଓ ଜୋରିମାନା ଦଣ୍ଡ ଦିଆଯିବା ଆଇନ ହୋଇଛି ।

 

ହାତୀଦାନ୍ତ ଖୁବ୍ ମୂଲ୍ୟବାନ । ଗୋଟିଏ ଗୋଟିଏ ହାତୀଦାନ୍ତ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରୟ ହୁଏ । ହାତୀଦାନ୍ତରେ ପଲ୍ୟଙ୍କ, ପାଲିଙ୍କି, ପାନିଆ, ପଶାକାଠି, ମାପକାଠି, ବାକ୍ସ, ଅନ୍ତଃପୁର ବାସିନୀମାନଙ୍କ ପ୍ରସାଧନ ସାମଗ୍ରୀ ରହୁଥିବା ବାକ୍ସ, ସିଂହାସନ, ମେଜ ଆଦି ତିଆରି ହେଉଥିଲା । ପୂର୍ବକାଳରେ ଗଜ-ଦନ୍ତ-ପଲ୍ୟଙ୍କରେ ଶୟନ ବିଳାସପୂର୍ଣ୍ଣ ଜୀବନର ଲକ୍ଷଣ ଥିଲା ।

 

ଯେତେବେଳେ କଳିଙ୍ଗର ରାଜଧାନୀ ଦନ୍ତପୁର ଥିଲା, ସେତେବେଳେ ରାଜପ୍ରାସାଦର ବହୁ ଅଂଶ ହାତୀ ଦନ୍ତରେ ତିଆରି ହୋଇଥିଲା ବୋଲି କୁହାଯାଏ ।

 

ଆଜି ଯଦିଓ ହାତୀ ଦାନ୍ତ ପ୍ରଚୁର ପରିମାଣରେ ମିଳିବା କଷ୍ଟକର, ତଥାପି ହାତୀ ଦାନ୍ତରେ ନିର୍ମିତ ବସ୍ତୁ ପାଇଁ ଲୋକଙ୍କର ବଡ଼ ଦୁର୍ବଳତା ଅଛି । ଏପରି ବସ୍ତୁର ଦାମ ଯେତେ ହେଲେ ବି କିଣିବା ପାଇଁ ଗରାଖର ଅଭାବ ନାହିଁ ।

 

ଯାଜପୁର ଓ କଟକରେ ହାତୀଦାନ୍ତ ସାମଗ୍ରୀମାନ ଏବେ ପ୍ରସ୍ତୁତ ହେଉଛି । ତିକ୍ଷ୍ଣ କରତରେ ଏଗୁଡ଼ିକୁ କାଟି ସାମଗ୍ରୀମାନ ତିଆରି କରାଯାଏ ।

 

ଓଡ଼ିଶାରେ ରାଜା ମହାରାଜା, ସମ୍ଭ୍ରାନ୍ତ ଶ୍ରେଣୀ ଏପରିକି ପରବର୍ତ୍ତୀ ସମୟରେ ଜମିଦାରମାନଙ୍କ ଘରେ ହାତୀଦାନ୍ତର ବିଭିନ୍ନ ସାମଗ୍ରୀ ବ୍ୟବହୃତ ହେଉଥିଲା । ଏସବୁ ସେମାନଙ୍କ ସମ୍ଭ୍ରାନ୍ତ ପଣିଆ ବୋଲି ବିବେଚନା କରାଯାଉଥିଲା ।

 

କାଞ୍ଚି ବିଜୟ କରି ଗଜପତି ମହାରାଜା ପୁରୁଷୋତ୍ତମ ଦେବ ପଦ୍ମାବତୀଙ୍କୁ ଜଳପଥରେ ନେଇ ଆସିଥିଲେ । ବୋଇତର ଯେଉଁ କୋଠରୀରେ ପଦ୍ମାବତୀଙ୍କୁ ବସାଇ ଅଣାଯାଇଥିଲା, ତାହା ହାତୀଦନ୍ତରେ ନିର୍ମିତ ହୋଇଥିଲା ବୋଲି କଥିତ ଅଛି ।

Image

 

ଖଲିପତ୍ର ଓ ଦୋନା

 

Image

ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ବହୁ ଲୋକ ଖଲିପତ୍ର (ଶାଳଗଛର ପତ୍ର) ସଂଗ୍ରହ କରନ୍ତି । ଏହି ଖଲିପତ୍ରକୁ କଞ୍ଚି ବା ବାଉଁଶ ଖଡ଼ିକା ସାହାଯ୍ୟରେ ଯୋଡ଼ି ଖଲିପତ୍ର ପ୍ରସ୍ତୁତ କରନ୍ତି । ବେଶୀ ଲୋକଙ୍କୁ ନେଇ ଯେଉଁଠି ଭୋଜନର ବ୍ୟବସ୍ଥା କରାଯାଇଥାଏ, ସେଠାରେ ଖଲିପତ୍ର ନିହାତି ଦରକାର । ଏବେ ଖଲିପତ୍ରରୁ ଦୋନା ଓ ଥାଳିଆ ତିଆରି ପାଇଁ ବହୁ ଲୋକ ଏହାକୁ ଏକ ପ୍ରଧାନ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ନେଇଛନ୍ତି ଗଞ୍ଜାମର ଖଲିକୋଟ ଅଞ୍ଚଳ, ମୟୂରଭଞ୍ଜର ବେତନଟୀ ଅଞ୍ଚଳ, ବାଲେଶ୍ଵରର ବସ୍ତା ଅଞ୍ଚଳରେ ଖଲିପତ୍ର ଓ ଦୋନା ତିଆରି ଲୋକଙ୍କର ପ୍ରଧାନ ବେଉସା ।

 

ହୋଟେଲ ଓ ଜଳଖିଆ ଦୋକାନମାନଙ୍କରେ ଥାଳି ବାସନ ଧୋଇବାକୁ କେହି ପସନ୍ଦ କରୁନାହାନ୍ତି । ତେଣୁ ଖଲିପତ୍ର ଓ ଦୋନାରେ ଖାଇବା ଓ ଖାଇସାରି ତାଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଫିଙ୍ଗିବା ଏବେ ଅଭ୍ୟାସରେ ପଡ଼ିଗଲାଣି । ତେଣୁ ଖଲିପତ୍ର ଓ ଦୋନା ତିଆରି ବର୍ତ୍ତମାନ ଓଡ଼ିଶାରେ ଏକ ପ୍ରଧାନ କୁଟୀର ଶିଳ୍ପ ।

 

ଓଡ଼ିଶାର ଜଙ୍ଗଲମାନଙ୍କରେ ପ୍ରଚୁର ଶାଳଗଉ ଥିବାରୁ ଖଲିପତ୍ର ଉତ୍ପାଦନ ବହୁଳଭାବରେ ହୋଇଥାଏ ।

Image

 

ଫଳ ରସରୁ ଖାଦ୍ୟ

 

Image

ଓଡ଼ିଶାରେ ନାନା ଜାତିର ଫଳ ଓ ପରିବା ଚାଷ କରାଯାଏ । ଏହି ଫଳମାନଙ୍କରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ଓ ତାହା ବିକ୍ରୟ କରି ଲାଭବାନ ହେବା ଲୋକେ ଶିଖିଲେଣି । ଆମ୍ବ ଆଚାର, ଆମ୍ବରୁ ଚମ୍ପେଇତି ଓ ଆମ୍ବସଢ଼ା ତିଆରି କରିବା, କମଳା, ଲେମ୍ବୁ, ସପୁରୀ ଆଦିରୁ କ୍ୱାସ ତିଆରି କରିବା, ବିଭିନ୍ନ ପ୍ରକାର ଜାମ, ଜେଲି ତିଆରି କରିବା ଦ୍ୱାରା ଅନେକ ଲୋକ ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି । କୋରାପୁଟ, ମାଲକାନଗିରି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝଟ ଜିଲ୍ଲାମାନଙ୍କରେ ଫଳକୁ କେମିତି ବେଶୀ ଦିନ ସାଇତି ରଖାଯାଇପାରିବ ଓ ସେଥିରୁ କେମିତି ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରାଯାଇପାରିବ, ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଲୋକଙ୍କୁ ଶିକ୍ଷା ଦେଉଛନ୍ତି । ଏପରିକି ବିଲାତି ବାଇଗଣ ବା ଟମାଟୋ ସସ୍ ପ୍ରସ୍ତୁତ କରି ଲୋକେ ଲାଭବାନ ହେଉଛନ୍ତି ।

 

ଯେ କୌଣସି ଫଳ ବା ପରିବା ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଫଳିଥାଏ । ସେତେବେଳେ ଏହିସବୁ ଅଧିକ ମିଳୁଥିବାରୁ ସେଗୁଡ଼ିକର ଦାମ୍ କମିଯାଏ । ତେଣୁ ସେଗୁଡ଼ିକୁ କ୍ଵାସ୍, ସସ୍, ଜେଲି, ଜାମ, ଆଚାର ଭାବରେ ପ୍ରସ୍ତୁତ କଲେ ସେଗୁଡ଼ିକ ବେଶୀଦିନ ରହିପାରେ । ଲୋକମାନେ ବର୍ଷର ସବୁ ସମୟରେ ସେଗୁଡ଼ିକୁ କିଣିବାର ସୁଯୋଗ ପାଆନ୍ତି । ଚାଷୀ କିମ୍ବା କୁଟୀର ଶିଳ୍ପ ଭାବରେ ଗ୍ରହଣ କରିଥିବା ପରିବାରଗୁଡ଼ିକ ଭଲ ଦି’ ପଇସା ପାଇପାରନ୍ତି ।

 

ଆଜିକାଲି କଣ୍ଠି, ମାଳୀ, କାଚର ଚୁଡ଼ି, ଫୁଲଝାଡ଼ୁ, ଛାଞ୍ଚୁଣୀ, କାଞ୍ଚି ପହଁରା, ପାପୋଛ, ନଡ଼ିଆ କତାର ଗଦି, ନାନାଦି ଖେଳନା, ଜଙ୍ଗଲରୁ ସଂଗୃହୀତ ଲାଖ, ଝୁଣା, କଦଳୀ ପଟୁଆ, ସମୁଦ୍ରରୁ ମିଳୁଥିବା ଗେଣ୍ଡା, ଶାମୁକା, ଶଙ୍ଖ । କାଇଁଚ, ନଡ଼ିଆ ଗଛର ଚଅଁର, ଭଙ୍ଗାଚୁଡ଼ି, କଉଡ଼ି ଇତ୍ୟାଦିକୁ ବ୍ୟବହାର କରି ନାନାଦି କୁଟୀର ଶିଳ୍ପ ତିଆରି ହେଉଛି । ବୁଦ୍ଧି, ଜ୍ଞାନ, ପାରମ୍ପରିକ କୌଳିକ କୌଶଳ ପ୍ରୟୋଗ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମାନେ ନାନା ସୁନ୍ଦର ଜିନିଷ ତିଆରି କରୁଛନ୍ତି । ଏହାଦ୍ୱାରା ସେମାନଙ୍କ ଆର୍ଥିକ ଅବସ୍ଥାର ବିକାଶ ଘଟିପାରୁଛି ।

 

ହାତବୁଣା ବ୍ୟାଗ, ହାତ ସିଲେଇ ବିଭିନ୍ନ ବ୍ୟବହାର୍ଯ୍ୟ ଉପକରଣ ବୈଠକ ଖାନା ସଜେଇବା ପାଇଁ ନାନାଦି ସୁଦୃଶ୍ୟ ଉପକରଣ, ହାତ ତିଆରି ଚିତ୍ର, ବିଭିନ୍ନ ଅଦରକାରୀ ବସ୍ତୁକୁ ଯୋଡ଼ି ସୁନ୍ଦର ସୁନ୍ଦର ଚିଜମାନ ଗଢ଼ିବା ଓ ସେଗୁଡ଼ିକୁ ବ୍ୟବସାୟିକ ଢଙ୍ଗରେ ପ୍ରସ୍ତୁତ ଓ ବିକ୍ରୟ କରିବା ଆମ ସମାଜରେ ଦେଖାଦେଇଛି । ଏହିଭଳି କାର୍ଯ୍ୟ ପ୍ରଣାଳୀକୁ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ଲୋକେ ଲାଭବାନ ହେଉଛନ୍ତି ।

 

ଏବେ ଓଡ଼ିଶାର ପ୍ରାୟ ସମସ୍ତ ସହର ତଳି ଅଞ୍ଚଳରେ ଚେନାଚୁର, ନାସ୍ତା, ଚିଙ୍ଗୁଡ଼ିଭଜା, କାଜୁ, ବାଦାମ, ମଟର, ବୁଟ ଆଦିର ପ୍ୟାକେଟମାନ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଛି । ଏହାକୁ ପ୍ରସ୍ତୁତ କରିବା, ପ୍ୟାକେଟିଂ କରିବା, ମାର୍କେଟିଂ କରିବାରେ ବହୁଲୋକ ନିୟୋଜିତ ହୋଇ ପାରୁଛନ୍ତି । ଏହା ମଧ୍ୟ କୁଟୀର ଭାବେ ପରିଗଣିତ ହେଉଛି ।

 

ପାନରେ ଖିଆ ଯାଉଥିବା ଚୁଆ, ବିଭିନ୍ନ ପ୍ରକାର ପାନ ମସଲା, ଅତର, ନଡ଼ିଆ-ଜଡ଼ା-ସୋରିଷ-ବାଦାମ ପେଡ଼ି ଖାଣ୍ଟି ତେଲ ଆଦିରେ ପ୍ରସ୍ତୁତ ମଧ୍ୟ ଆମ ଓଡ଼ିଶାର କୁଟୀର ଶିଳ୍ପ |

 

ଆଜି ବଜାରରେ ମିଳୁଥିବା ଜିନିଷ କିଣି ଓଡ଼ିଆ ଘର ପୁଅ-ଝିଅମାନେ ସନ୍ତୁଷ୍ଟ ହୋଇଯାଉଛନ୍ତି । ମାତ୍ର ସେମାନେ ଚାହିଁଲେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନିଜ ଘରେ ପ୍ରସ୍ତୁତ କରିପାରିବେ ଓ ନିଜର ପ୍ରସ୍ତୁତିରେ ନିଜେ ଆନନ୍ଦିତ ହୋଇ ଅବସର ସମୟରେ ସଦ୍ ବିନିଯୋଗ କରିପାରିବେ ।

 

ଆଜି ମଧ୍ୟ ଆମ ଓଡ଼ିଶାରେ କିଛି ପରିବାର ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଚରଖାରେ ସୂତା କାଟି ତନ୍ତୀଦ୍ଵାରା ଲୁଗା ବୁଣି ପିନ୍ଧିବା ଦେଖାଯାଏ ।

 

ଗାନ୍ଧିଜୀ ବଡ଼ ବଡ଼ ଶିଳ୍ପ କାରଖାନା ସପକ୍ଷରେ ନଥିଲେ । ସେ କହୁଥିଲେ, ବଡ଼ ବଡ଼ ଶିଳ୍ପ କାରଖାନା କଲେ, ବହୁତ ଲୋକଙ୍କର ହାତରୁ କାମ ଚାଲିଯିବ । ଲୋକେ ଦରିଦ୍ର ହୋଇଯିବେ-। ପୁଣି ବଡ଼ ବଡ଼ କାରଖାନାର ଭୟଙ୍କର ଘର୍ଘର ଶବ୍ଦରେ ଶ୍ରମିକମାନଙ୍କ ଆଚରଣ ମଧ୍ୟ ରୁକ୍ଷ ହୋଇଯିବ । କୁଟୀର ଶିଳ୍ପରେ ନିୟୋଜିତ ବ୍ୟକ୍ତିମାନେ କୌଣସି ଏକ ବସ୍ତୁ ପ୍ରସ୍ତୁତ କଲେ ଆତ୍ମିକ ଶାନ୍ତି ଅନୁଭବ କରନ୍ତି । ମଧୁର ଓ ଚିଦାନନ୍ଦମୟ ଆନନ୍ଦ ସେମାନଙ୍କୁ ମିଳିଥାଏ ।

 

କୁଟୀର ଶିଳ୍ପ ଭାବରେ ପ୍ରସ୍ତୁତ ବସ୍ତୁଠାରୁ କାରଖାନା ପ୍ରସ୍ତୁତ ବସ୍ତୁର ଦାମ ଅପେକ୍ଷାକୃତ କମ୍ ହୋଇଥାଏ I ତଥାପି ଘରେ ଘରେ ପ୍ରସ୍ତୁତ ଜିନିଷ ପ୍ରତି ସମସ୍ତଙ୍କର ଆକର୍ଷଣ ବଢ଼ିଥାଏ । ତେଣୁ କୁଟୀର ଶିଳ୍ପର ବିକାଶ ଓ ପ୍ରଗତି ପାଇଁ ପ୍ରତ୍ୟେକ ଓଡ଼ିଆ ଯତ୍ନବାନ ହେବା କର୍ତ୍ତବ୍ୟ ।

Image